ସ୍ବାଧିନତା ଦିବସ ଅବସରରେ ଆସିବ ସୁଭଦ୍ରା ଏସଓପି

ଭୁବନେଶ୍ବର, ୧୦|୮ (ନି.ପ୍ର): ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ଦେବା ପାଇଁ ବିଜେପି ତାର ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇଥିବା ବେଳେ ସରକାରକୁ ଆସିଲା ପରେ ସ୍ଵଧୀନତା ଦିବସରେ ଏଥିପାଇଁ ମାନକ ପରିଚାଳନା ବ୍ୟବସ୍ଥା (ଏସଓପି) ଆଣିବାକୁ ଯାଉଛି |  ସୁଭଦ୍ରା ଯୋଜନାରେ ହିତାଧିକାରୀ ମନୋନୟନ ପାଇଁ ଏକ ମାନଦଣ୍ଡ ଅଣାଯିବ |  ଯୋଜନାରେ କିଏ ପାଇବେ ଏବଂ  କିଏ ପାଇବେନି ତା’ର ଚିତ୍ର ସ୍ପଷ୍ଟ ହେବ |  ଏସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି |  ସୁଭଦ୍ରା ଯୋଜନା ପାଇଁ ଆଧାରକାର୍ଡ ହିଁ ଯଥେଷ୍ଟ |  ତେବେ ଉଚ୍ଚବର୍ଗର ଲୋକ ଏଥିରୁ ବାଦ ପଡ଼ିପାରନ୍ତି |  ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି  |  ଅଗଷ୍ଟ ୧୫ ରେ ଏସଓପି ଆସିବା ପରେ ସୁଭଦ୍ରା ଯୋଜନା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି |  ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନା ବଜେଟରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହା ବଢାଯାଇପାରେ |  ସେପ୍ଟେମ୍ବର ୧୭ ରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ |  ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢିବ ସେନେଇ ତାଙ୍କ ସରକାର କାମ କରୁଛି |  ମିଶନ ଶକ୍ତି ମା ମାନଙ୍କୁ ଦୁବାଇ ବୁଲାଇ ନେଲେ ସେମାନଙ୍କ ବିକାଶ ହୋଇଯିବ ନାହିଁ |  ମିଶନ ଶକ୍ତି ମା’ମାନେ କିପରି ଅଧିକ ଦକ୍ଷତା ସହିତ କାର୍ଜ୍ୟ କରିବେ  ସେଥିପ୍ରତି ଗୁରୁତ୍ବ ଦିଆଯାଉଛି |  ପୂର୍ବତନ ସରକାର ମିଶନ ଶକ୍ତି ମା’ମାନଙ୍କୁ ସ୍କୁଟି ଦେଇ ଥିବାବେଳେ ସେମାନେ ଏନେଇ ପସ୍ତାଉଛନ୍ତି |  ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛି |  ବିଜେପି ମା’ମାନଙ୍କୁ କେବେବି ଭୋଟବ୍ୟାଙ୍କ ଭାବେ ବ୍ୟବହାର କରେନାହିଁ |  ବିଜେପି ସେମାନଙ୍କ ବିକାଶ ଉପରେ ଅଧିକ ଗୁରୁତ୍ବ  ଦେବ |  ମିଶନ ଶକ୍ତି  କେବେବି ବନ୍ଦ ହେବ ନାହିଁ |  ପର୍ଜ୍ୟଟନ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି |  ଗତଥର ଇକୋ ରିଟ୍ରିଟ୍ ରେ ଅନେକ ବାବୁଙ୍କ ବିନା ପଇସାରେ ବିଳାସବ୍ୟସନ କଥା ସାମ୍ନାକୁ ଆସିଛି |  ଏଥର ସେ ସବୁ ବନ୍ଦ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି |

Leave a Comment