ପାହାଡ ଗୁମ୍ଫାରୁ ୪ ଶିଶୁ ଉଦ୍ଧାର

ତିରୁଅନନ୍ତପୁରମ , ୩|୮ : କେରଳର ୱାୟନାର୍ଡ ଜିଲ୍ଲାରେ ଘଟିଥିବା ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଏକ ହୃଦୟ ବିଦାରକ ସ୍ଥିତି ସୃଷ୍ଟି କରିଥିବାବେଳେ କେତେକ ବିଚିତ୍ର ଘଟନା ମଧ୍ୟ ସାମନାକୁ ଆସିଛି |  ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି କେରଳ ବନବିଭାଗ କର୍ମଚାରୀ ମାନେ ପାହାଡିଆ ଦୁର୍ଗମ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଦମ୍ପତିଙ୍କ ସମେତ ସେମାନଙ୍କ ଚାରି ନାବାଳକ ସନ୍ତାନଙ୍କୁ ଉଦ୍ଧାର କରିଛନ୍ତି |  ସାମାଜିକ ଗଣ ମାଧ୍ୟମରେ ଏହି ଭିଡିଓ ପ୍ରସାରିତ ହେବାପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବନ ବିଭାଗ କର୍ମଚାରୀଙ୍କୁ ଭୂୟଶୀ ପ୍ରସଂଶା କରିଛନ୍ତି |  ଭୂସ୍ଖଳନ ହେବାପରେ ପାନୀୟା ସମ୍ପ୍ରଦାୟର ଏହି ପରିବାର ଏକ ପାହାଡ ଗୁମ୍ଫାରେ ଆଶ୍ରୟ ନେଇ ଥିଲେ |  ତେବେ ତିନି ଚାରିଦିନ ଭୋକିଲା ରହିବା ପରେ ମହିଳା ଜଣଙ୍କ ଖାଦ୍ୟ ଅନ୍ଵେଷଣରେ ଆଟ୍ଟା ମାଲା ଜଙ୍ଗଲରେ ବୁଲୁଥିବାବେଳେ ବନାଧିକାରୀ କେ.ହସିଶଙ୍କ ଦୃଷ୍ଟି ଏହି ମହିଳାଙ୍କ ଉପରେ ପଡିଥିଲା |  ନିଖୋଜ ଲୋକଙ୍କୁ ଠାବ କରିବାକୁ ବନ ବିଭାଗ କର୍ମଚାରୀମାନେ ଉକ୍ତ ଜଙ୍ଗଲରେ ଖୋଜଖୋଜି ଚଳାଇଥିଲେ |  ବନ ଅଧିକାରୀଙ୍କୁ ଦେଖିବା ପରେ ମହିଳା ପିଣ୍ଡରେ ପ୍ରାଣ ପଶିଲା |  ସେ ବନ ଅଧିକାରୀଙ୍କୁ ଗୁମ୍ଫା ନିକଟକୁ ନେଇ ଯାଇ ଥିଲେ |  ଗୁମ୍ଫାରେ ପିତାଙ୍କ ସହ ୪ ଜଣ ଶିଶୁ ଆଶ୍ରୟ ନେଇ ଥିଲେ |  ସେମାଙ୍କର ବୟସ ୧ରୁ୪ ବର୍ଷ ମଧ୍ୟରେ ଆକଳନ କରାଯାଉଛି |

Leave a Comment